ଘରେ ପଶି ମାଆ ଓ ଝିଅକୁ ଆକ୍ରମଣ ଘଟଣା ; ଅଭିଯୁକ୍ତ ଗିରଫ ବାଇକ ଓ କାତି ଜବତ
ଦିଗପହଣ୍ଡି,୧୯|୧( ବିଜୟ କୁମାର ପ୍ରଧାନ) ଫାଷ୍ଟ୍ ଓଡିଶା : ଦିଗପହଣ୍ଡି ଥାନା ବି. ତୁରୁବୁଡ଼ି ପଞ୍ଚାୟତ କାଣ୍ଡେଶ୍ୱର ଗ୍ରାମ ଇନ୍ଦିରା ଆବାସ କଲୋନୀରେ ରହୁଥିବା ସ୍ବର୍ଗତ ପାଣ ସେଠୀଙ୍କ ଘରେ ଜବରଦସ୍ତ ପଶି ବିଧବା ସ୍ତ୍ରୀ ଓ ଦୁଇ ଝିଅକୁ ଆକ୍ରମଣ ମାମଲାରେ ପୁଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡିଛି । ଅଭିଯୁକ୍ତ ଜଣକ ହେଲେ ଦିଗପହଣ୍ଡି ଥାନା ଅଧିନସ୍ଥ ସାନଡୁମୁଳା ଗ୍ରାମର ଜେ . ବାଳକୃଷ୍ଣ ପାତ୍ର ଓରଫ୍ ଟମାଟୋ । ଅଭିଯୁକ୍ତ ବାଳକୃଷ୍ଣ ପୂର୍ବ ଶତ୍ରୁତାକୁ ନେଇ ଘଟଣା ଦିନ ରାତି ପ୍ରାୟ ସାଢେ ୧୧ ଟା ସମୟରେ ଗ୍ରାମର କୁମାରୀ ସେଠୀ(୬୫)ଙ୍କ ଘରକୁ ଯାଇ କବାଟ ବାଡେଇ ଥିଲା । ଏହାପରେ କୁମାରୀଙ୍କ ଅବିବାହିତା ଝିଅ ସବିତା ସେଠୀ (୩୨) କବାଟ ଖୋଲିଥିଲେ। ଏହି ସମୟରେ ଅଭିଯୁକ୍ତ ବାଳକୃଷ୍ଣ ଏକ ଧାରୁଆ ଅସ୍ତ୍ରରେ ସବିତାଙ୍କ ବେକକୁ ଆକ୍ରମଣ କରିଥିଲା । ଏହାଦେଖି ମାଆ କୁମାରୀ ଏବଂ ସାନଝିଅ ଝିଲି ସେଠୀ (୨୪) ସବିତାଙ୍କୁ ବଞ୍ଚାଇବା ପାଇଁ ଧାଇଁ ଆସିଥିବା ବେଳେ ସେମାନଙ୍କୁ ମଧ୍ୟ ଅତର୍କିତ ଆକ୍ରମଣ କରି ବାଳକୃଷ୍ଣ ସେଠାରୁ ବାଇକ ଯୋଗେ ଚମ୍ପଟ ମାରିଥିଲା । ମା’ ଓ ଦୁଇ ଝିଅଙ୍କ କାନ୍ଦ ବୋବାଳି ଶୁଣି ପାଖ ପଡୋଶୀ ଲୋକ ଆସି ସେମାନଙ୍କୁ ଉଦ୍ଧାର କରିଥିଲେ । ଏନେଇ ସୂଚନା ପାଇବା ପରେ ଦିଗପହଣ୍ଡି ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଆହାତ ମାନଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିବା ପରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲା । ତେବେ ସବିତା ଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଏନେଇ ରବିବାର କୁମାରୀ ସେଠୀ ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତିକରି ଥାନା କେସ୍ ନଂ ୨୬/୨୬ ପ୍ରକାରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ତାଙ୍କ ନିକଟରୁ ଘଟଣାରେ ବ୍ୟବହୃତ କାତି ଓ ବାଇକ ଜବତ କରାଯାଇଛି। ସୋମବାର ଅପରାହ୍ନରେ ପୁଲିସ ବାଳକୃଷ୍ଣଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ପାତ୍ର ସୂଚନା ଦେଇଛନ୍ତି ।
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0